ସ୍ବୟଂସିଦ୍ଧା
17 ଜୁଲାଇ 2017
ଶେୟାର କରନ୍ତୁ :
ତାମିଲନାଡୁର କୋଏମ୍ବାଟୁର ଠାରୁ ଗାଡିରେ ଘଣ୍ଟାଏ ବାଟ ଗଲେ ଛୋଟ ସହରଟିଏ ପଡେ। ତିରୁପୁର। କିନ୍ତୁ ଏହିଠାରେ ଗଢି ଉଠିଛି ବହୁ କ୍ଷୁଦ୍ର ଓ ମଧ୍ୟମବର୍ଗର ଆଧୁନିକ ଲୁଗାକଳ। ଗତ ବର୍ଷ ତିରୁପୁରରୁ ୪୫୦୦୦ କୋଟି ଟଙ୍କାର ଲୁଗାପଟା ତିଆରି ହୋଇ ପ୍ରାୟ ୩୦୦୦୦ କୋଟି ଟଙ୍କାର ମାଲ ରପ୍ତାନୀ ହୋଇଥିଲା। ତିରୁପୁରରେ କାମ କରୁଥିବା କର୍ମଚାରୀମାନଙ୍କ ମଧ୍ୟରୁ ଶତକଡା ୪୫ ଭାଗ ତାମିଲନାଡୁ ବାହାରୁ ଆସିଛନ୍ତି। ତାହାର ଶତକଡା ୫୦ ଭାଗ ପୁଣି ଓଡିଆ। ସେମାନେ ଓଡିଶାରେ ବିଭିନ୍ନ ଟ୍ରେନିଙ୍ଗ୍ ସେଣ୍ଟର୍ରୁ ଅଢେଇ ମାସିଆ ଟ୍ରେନିଙ୍ଗ୍ ନେଇ ତିରୁପୁରରେ ସୁଇଙ୍ଗ୍ ମେସିନ୍ ଅପରେଟର୍ ହିସାବରେ କର୍ମଜୀବନ ଆରମ୍ଭ କରିଛନ୍ତି।
କିଛି ଦିନ ଆଗରୁ ମୁଁ ତିରୁପୁର ଯାଇଥିଲି। ସେଇଠାରେ ଗୋଟିଏ ସଂସ୍ଥାର ଓଡିଆ ଝିଅମାନଙ୍କ ସହିତ କଥା କହିବା ବେଳେ ସଂସ୍ଥାର ମ୍ୟାନେଜର୍ ମୋତେ ବାସନ୍ତୀ ପ୍ରଧାନଙ୍କ ସହିତ ପରିଚୟ କରାଇଦେଲେ। ଗର୍ବର ସହିତ କହିଲେ ଯେ ମାତ୍ର ପାଞ୍ଚ ବର୍ଷ ଭିତରେ ବାସନ୍ତୀ ସାଧାରଣ ଅପରେଟର୍ରୁ ଉଠି ସୁପର୍ଭାଇଜର୍ ହୋଇପାରିଛନ୍ତି।
ବାସନ୍ତୀଙ୍କ ଘର ପାଟଣାଗଡ ପାଖ ଗୋଟିଏ ଛୋଟ ଗାଁରେ। ବାପା ସକାଳବେଳା ଛେଳି ଚରାନ୍ତି, ଉପରବେଳା ପରିବା ବିକନ୍ତି। ଛଅ ଭାଇଭଉଣୀଙ୍କ ମଧ୍ୟରେ ବାସନ୍ତୀ ତୃତୀୟ। ସେ ପିଲାଦିନେ ବାପାଙ୍କୁ ଛେଳିଚରାରେ ସାହାଯ୍ୟ କରିବାଠାରୁ ଆରମ୍ଭ କରି ଛେଳିପାଇଁ ଡାଳ କାଟିବା, ବୋହି ବୋହି ଘରକୁ ନେବା - ଏଭଳି ବହୁରକମର କାମ କରିଛନ୍ତି। ବାପାମା’ଙ୍କ ପାଇଁ ସେ ପୁଅଠାରୁ ଅଧିକ। ବଡ ଭଉଣୀର ବାହାଘର ପରେ ଯେତେବେଳେ ଦ୍ବିତୀୟ ଭଉଣୀର ବାହାଘର ନେଇ ଆର୍ଥିକ ସମସ୍ୟା ଦେଖାଦେଲା, ସେତେବେଳେ ବାସନ୍ତୀ ଜିଦି ଧରି ବସିଗଲେ ଯେ ସେ ସୁଇଙ୍ଗ୍ ଅପରେଟର୍ ଟ୍ରେନିଙ୍ଗ୍ ନେବେ ଏବଂ ଘରର ପରିସ୍ଥିତିରେ ପରିବର୍ତ୍ତନ ଆଣିବେ। ଅନିଚ୍ଛୁକ ବାପାମା’ଙ୍କୁ କୌଣସିମତେ ରାଜି କରେଇ ଶେଷରେ ସେ ଟ୍ରେନିଙ୍ଗ୍ ନେଲେ ଓ ଏବେ ତିରୁପୁରର ସଂସ୍ଥାରେ ସୁପର୍ଭାଇଜର୍। ମୁଁ ଯେତେବେଳେ ଜାଣିବାକୁ ଚାହିଁଲି ଯେ ସୁପର୍ଭାଇଜର୍ ହେବା ପାଇଁ କ’ଣ ଆବଶ୍ୟକ, ମୋତେ ଅବାକ୍ କରି ବାସନ୍ତୀ ଏକୋଇଶଟି କଥା କହିଦେଇଗଲେ। ସେଥିରୁ ମୁଁ ଜାଣିପାରିଲି ଯେ ଯେଉଁ ବୁଦ୍ଧି ଦିଓଟି ତାଙ୍କ ଭିତରେ ଅପରିସୀମ ମାତ୍ରାରେ ରହିଛି, ତାହା ହେଲା ଅପରକୁ ବୁଝିପାରିବାର କ୍ଷମତା ଏବଂ ନିଜକୁ ଚିହ୍ନି ପାରିବାର ଧୀଶକ୍ତି। ‘ବିଶ୍ବବିଜୟୀ’ରେ ଆଗରୁ ହାୱାର୍ଡ୍ ଗାର୍ଡ୍ନର୍ଙ୍କ ମଲ୍ଟିପ୍ଲ୍ ଇଣ୍ଟେଲିଜେନ୍ସ୍ ବିଷୟରେ କହିଥିଲି। ଗାର୍ଡନର୍ ଯେଉଁ ନଅଟି ବିଶେଷ ବୁଦ୍ଧି କଥା କହିଥିଲେ, ସେଥିରେ ଏହି ଦୁଇଟି ଅନ୍ୟତମ।
ବାସନ୍ତୀ କାମ ଆରମ୍ଭ କରିବାର ଅଳ୍ପ ଦିନ ପରେ ବୁଝିଯାଇଥିଲେ ଯେ ନିଜ କାମରେ ସୀମିତ ରହିଗଲେ ଯଥେଷ୍ଟ ନୁହଁ, କର୍ମ କ୍ଷେତ୍ରରେ ଉନ୍ନତି କରିବାକୁ ହେଲେ ଅନ୍ୟମାନଙ୍କ ସାଙ୍ଗରେ ଭଲ ସମ୍ପର୍କ ରଖି କେତେକଙ୍କ ଠାରୁ କର୍ମକୌଶଳ ଶିଖିବାକୁ ପଡିବ ଏବଂ ଅନ୍ୟ କେତେକଙ୍କୁ ଶିଖାଇବାକୁ ପଡିବ। ସେଥିପାଇଁ ଅନ୍ୟମାନଙ୍କ ସାଙ୍ଗରେ ମିଶିବାକୁ ହେବ, କାମ ବାହାରେ ଆତ୍ମୀୟତା ବଢେଇବାକୁ ହେବ।
କେବଳ କଥା କହିଲେ, ଅନ୍ୟମାନଙ୍କ ସାଙ୍ଗରେ ସୌହାର୍ଦ୍ଦ୍ୟ ଭାବ ରଖିଲେ ଯଥେଷ୍ଟ ନୁହଁ, ନିଜକୁ ଚିହ୍ନିବା ମଧ୍ୟ ଗୋଟିଏ ବିଶେଷ ବୁଦ୍ଧି। ନିଜକୁ ଚିହ୍ନି ପାରିବା ପାଇଁ ଆତ୍ମସଚେତନ ହେବାକୁ ହେବ। ନିଜର ସାମର୍ଥ୍ୟ ଓ ଦୁର୍ବଳତାକୁ ଜାଣିବାକୁ ହେବ। ନିଜର ହିତ ଅହିତ କଥା ଭାବିବାକୁ ହେବ। ଏହା କେବଳ କର୍ମକ୍ଷେତ୍ରରେ ନୁହଁ, ନିଜ ବ୍ୟକ୍ତିଗତ ଜୀବନରେ ଅଧିକ ପରିମାଣରେ ପ୍ରତିଫଳିତ ହେବା ଆବଶ୍ୟକ। ବାସନ୍ତୀଙ୍କ ଉଦାହରଣ ଦେଉଛି।
ବାସନ୍ତୀ ଅଠର ବର୍ଷ ବୟସରେ ଚାକିରି ଆରମ୍ଭ କରି ନିୟମିତ ଭାବରେ ଘରକୁ ଟଙ୍କା ପଠେଇଲେ। ତାଙ୍କ ସାହାଯ୍ୟରେ ତାଙ୍କ ଉପର ଭଉଣୀର ବାହାଘର ଭଲରେ ହୋଇଗଲା। ଇତି ମଧ୍ୟରେ ତାଙ୍କ ନିଜ ବାହାଘର ପାଇଁ ମଧ୍ୟ ଭଲ ପ୍ରସ୍ତାବଟିଏ ଆସିଲା। ପାଖ ଗାଁ ର ପିଲା। ସେ ମଧ୍ୟ ତିରୁପୁରର ଅନ୍ୟ ଗୋଟାଏ ମିଲ୍ରେ କାମ କରୁଥିଲେ। ଦୁଇ ପକ୍ଷର ଅଭିଭାବକଙ୍କର ଇଚ୍ଛା ଥିଲା ଶୀଘ୍ର ବାହାଘର କରିଦେବାକୁ। କିନ୍ତୁ ବାସନ୍ତୀ ଦୃଢ ଭାବରେ କହିଥିଲେ ଯେ ସେ ନିଜ ବାହାଘରର ଖର୍ଚ୍ଚ ନିଜେ ବହନ କରିବାକୁ ଚାହାନ୍ତି ଏବଂ ବାହାଘର ପାଇଁ ସମସ୍ତଙ୍କୁ ଦୁଇ ବର୍ଷ ଅପେକ୍ଷା କରିବାକୁ ହେବ। ତାଙ୍କର ଦୃଢ ନିଷ୍ପତ୍ତି ଅନ୍ୟମାନେ ମାନିନେବାକୁ ବାଧ୍ୟ ହେଲେ। ଦୁଇ ବର୍ଷ ପରେ ବାହାଘର ହେଲା।
ଓଡିଶାକୁ ଆସି ଦକ୍ଷତା ବିକାଶର କାମ ହାତକୁ ନେବା ପରେ ମୁଁ ବାସନ୍ତୀଙ୍କ ଭଳି ଅନେକଙ୍କୁ ଭେଟିବାର ସୁଯୋଗ ପାଇଛି। ଟ୍ରେନିଙ୍ଗ୍ ନେଇ ଚାକିରି ଆରମ୍ଭ କରିବା ବେଳେ ସମସ୍ତଙ୍କର ଲକ୍ଷ୍ୟ ଏକ - ଘର ଓ ପରିବାରକୁ ସାହାଯ୍ୟ କରିବା। କିନ୍ତୁ ଏଇ ସାହାଯ୍ୟ କରିବା ଦାୟିତ୍ବ କିଛି ମାତ୍ରାରେ ପୂରଣ ହୋଇଯିବା ପରେ, ସେମାନଙ୍କ ଭିତରୁ ଅନେକ ବାହା ହୋଇଯାଆନ୍ତି ଏବଂ କଷ୍ଟୋପାର୍ଜିତ ଶିକ୍ଷା ଓ ଅନୁଭୂତିକୁ ଜଳାଞ୍ଜଳି ଦେଇଦିଅନ୍ତି। କିଛି ବର୍ଷ ପରେ ଅଧିକାଂଶଙ୍କର ଅର୍ଥନୈତିକ ସ୍ବାଧୀନତା ଏବଂ ନିଜ ଗୋଡରେ ନିଜେ ଠିଆ ହେବା ସମ୍ମାନଟି ଚାଲିଯାଏ। ଯେତେବେଳେ ହୃଦୟଙ୍ଗମ କରନ୍ତି, ସେତେବେଳେ ହୁଏତ ବହୁତ ଡେରି ହୋଇଯାଇଥାଏ। ବାସନ୍ତୀ ବାହାଘର ପରେ ଚାକିରି ଛାଡିଲେ ନାହିଁ। ସେ କହନ୍ତି ଯେ ଦୁଇ ଜଣ ଚାକିରି କରିବାରୁ ବାପଘର, ଶ୍ବଶୁରଘର - ଉଭୟ ପଟର ଦାୟିତ୍ବ ସେମାନେ ଏବେ ଭଲ ଭାବରେ ତୁଲାଇ ପାରୁଛନ୍ତି। ଏଥିପାଇଁ ମନକୁ ଦୃଢ କରିବାକୁ ହେଇଛି, ସ୍ବାଧୀନ ଭାବରେ ଚିନ୍ତା କରିବାକୁ ହୋଇଛି।
ବାସନ୍ତୀଙ୍କ ଦର୍ଶନ ଅନୁଧ୍ୟାନ କରିବା ବେଳେ କଥାଟିଏ ମୋ ମନକୁ ଆସିଲା। ଯଦି ପାରସ୍ପରିକ ସମ୍ପର୍କ ସ୍ଥାପନର ବୁଦ୍ଧି ଓ ନିଜକୁ ଚିହ୍ନି ପାରିବାର ବୁଦ୍ଧି ସହିତ ଆଧ୍ୟାତ୍ମିକତା ଯୋଡି ହୋଇଯାଏ, ତାହେଲେ ପ୍ରଫେସନାଲ୍ ଜୀବନରେ ତା’ର କ’ଣ ପ୍ରଭାବ ପଡିବ? ମଲ୍ଟିପଲ୍ ଇଣ୍ଟେଲିଜେନ୍ସ୍ର ବ୍ୟାଖ୍ୟାରେ ଏହାକୁ ମଧ୍ୟ ଗୋଟିଏ ବୁଦ୍ଧି ବୋଲି ଧରାଯାଇଛି। ଏ ବିଷୟରେ ଆଲୋଚନା ଆରଥରକୁ।